ଲାଞ୍ଚ ମାମଲାରେ ଲାଲୁଙ୍କୁ ସିବିଆଇର କ୍ଲିନ୍‌ଚିଟ୍‌

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ଡିଏଲ୍‌ଏଫ୍ ଲାଞ୍ଚ ମାମଲାରେ ସିବିଆଇ ପୂର୍ବତନ ରେଲବାଇ ମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ କ୍ଲିନ୍‌ଚିଟ୍ ଦେଇଛି । ସେ ରେଳବାଇ ମନ୍ତ୍ରୀ ଥିବା ବେଳେ ଡିଏଲ୍‌ଏଫ୍ ଲାଞ୍ଚ କାରବାର ମାମଲା ଘଟିଥିଲା । ଲାଲୁ ଏଥିରେ ସାମିଲ ଥିବା ସନ୍ଦେହ କରି ସିବିଆଇ ତଦନ୍ତ ଆରମ୍ଭ କରିଥିଲା । ହେଲେ ଏବେ ଲାଲୁଙ୍କୁ ତଦନ୍ତ କାରୀ ସଂସ୍ଥା କ୍ଲିନ୍‌ଚିଟ୍ ଦେଇଥିବା ଜଣାପଡିଛି ।
ସୂତ୍ର ଅନୁସାରେ, ସିବିଆଇର ଅର୍ଥନୀତି ଅପରାଧ ଶାଖା ୨୦୧୮ ଜାନୁଆରୀ ମାସରୁୁ ଲାଲୁଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲା । ଲାଲୁ ଓ ରିୟଲ ଷ୍ଟେଟ୍ ଗ୍ରୁପ୍ ଡିଏଲଏଫ୍ ଗ୍ରୁପ୍ ମଧ୍ୟରେ କ’ଣ ସବୁ କାରବାର ହୋଇଥିଲା, ତା’ର ଲିଙ୍କ ଖୋଜିଥିଲା । ମୁମ୍ବାଇର ବାନ୍ଦ୍ରାରେ ରେଳ ପ୍ରକଳ୍ପ ଓ ନୂଆଦିଲ୍ଳୀ ରେଳ ଷ୍ଟେସନ୍‌ର ଉନ୍ନତୀକରଣ କାମ ହାତେଇବାକୁ ଡିଏ୍‌ଲଏଫ୍ ଲାଲୁଙ୍କୁ ବ୍ୟାପକ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା ।
୨୦୦୭ ଡିସେମ୍ବର ମାସରେ ଦକ୍ଷିଣ ଦିଲ୍ଲୀର ନ୍ୟୁ ଫ୍ରେଣ୍ଡ୍ସ କଲୋନୀରେ ଏବି ଏକ୍ସପର୍ଟ ପ୍ରାଇଭେଟ୍ ଲିଃ ନାମକ ଗୋଟିଏ ଶେଲ୍ କମ୍ପାନୀ ୫କୋଟି ଟଙ୍କାରେ ଗୋଟିଏ ଜମି କିଣିଥିଲା । ଲେକ୍ସିସ୍ ଇନ୍‌ଫୋଟେକ୍ ପ୍ରାଇଭେଟ୍ ଲିଃ ଓ ଅନ୍ୟ ଶେଲ୍ କମ୍ପାନୀ ଜରିଆରେ ଡିଏଲଏଫ୍ ହୋମ୍ ଡେଭଲପର୍ସ ଏଥିପାଇଁ ଅର୍ଥ ଦେଇଥିବା ଅଭିଯୋଗ ହୋଇଥିଲା । ଉକ୍ତ ଜମିର ମୂଲ୍ୟ ସେହି ସମୟରେ ୩୦ କୋଟି ଟଙ୍କା ଥିବା ବେଳେ ଏହା କେମିତି ୫କୋଟି ଟଙ୍କାରେ କିଣା ଗଲା, ତ’କୁ ନେଇ ପ୍ରଶ୍ନ ଉଠିଥିଲା । ୨୦୧୧ ମସିହାରେ ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ, ତାଙ୍କ ପରିବାର ସଦସ୍ୟ ଚନ୍ଦା ଯାଦବ ଓ ରାଙ୍ଗିନି ଟ୍ରାନ୍ସଫର ଅଫ୍ ଶେୟାର ଜରିଆରେ ୪ଲକ୍ଷ ଟଙ୍କାରେ ଏବି ଏକ୍ସପର୍ଟ ପ୍ରାଇଭେଟ୍ ଲିଃ କିଣିଥିବା ଅଭିଯୋଗ ହୋଇଥିଲା । ଏହାଦ୍ୱାରା ସେମାନେ ଦକ୍ଷିଣ ଦିଲ୍ଲୀରେ ଥିବା ୫କୋଟି ଟଙ୍କା ଜମିକୁ ମଧ୍ୟ ଦଖଲ କରିଥିଲେ । ଅଭିଯୋଗ ପରେ ସିବିଆଇ ଲାଲୁଙ୍କ ଉପରେ ୨ବର୍ଷ କାଳ ତଦନ୍ତ କରିଥିଲା । ହେଲେ କୌଣସି ଲିଙ୍କ ନ ପାଇବାରୁ ଏବେ ମାମଲାକୁ ବନ୍ଦ କରିବାକୁ ନିଷ୍ପତି ନେଇଛି । ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ପ୍ରାୟ ୩ବର୍ଷ ଜେଲ୍‌ରେ ରହିବା ପରେ ଏପ୍ରିଲ୍ ମାସରେ ଜାମିନ ପାଇଥିଲେ ।

Leave A Reply

Your email address will not be published.

two × 4 =