ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଓ ଦରବୃଦ୍ଧି ମଧ୍ୟରେ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୧୭ରୁ ସିଧା ୨୮%କୁ ବୃଦ୍ଧି କରିଛନ୍ତି । ଏହାର ଅର୍ଥ ମହଙ୍ଗା ଭତ୍ତା(ଡିଏ)ରେ ମୋଟ ୧୧% ବମ୍ଫର ବୃଦ୍ଧି ହୋଇଛି । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜୁଲାଇ ୧ରୁ ଲାଗୁ ହେବ । କେନ୍ଦ୍ର ସରକାର ସେପ୍ଟେମ୍ବର ମାସରୁ ନିଜର କର୍ମଚାରୀଙ୍କୁ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଦେବା ଆରମ୍ଭ କରିବେ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ପ୍ରାୟ ୫୦ ଲକ୍ଷ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକ ଲାଭବାନ ହେବେ । ସୁବଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୨୦୧୯ ଜୁଲାଇ ପରେ କେନ୍ଦ୍ରୀୟ କର୍ମଚାରୀମାନେ ବର୍ଦ୍ଧିତ ମହଙ୍ଗା ଭତ୍ତା ପାଇବାକୁ ଯାଉଛନ୍ତି । ମହାମାରୀ କରୋନା ଯୋଗୁ ସରକାର ମହଙ୍ଗା ଭତ୍ତ ପ୍ରଦାନ ଉପରେ ରୋକ ଲଗାଇ ଦେଇଥିଲେ । ଅର୍ଥ ମନ୍ତ୍ରଣାଳୟ କହିଥିଲା ଯେ ୨୦୨୦ ଜାନୁଆର ୧ରୁ ୨୦୨୧ ଜୁନ୍ ୩୦ ଯାଏ କୌଣସି କର୍ମଚାରୀଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତା ମିଳିବ ନାହିଁ । ଏହାର ଅର୍ଥ କର୍ମଚାରୀଙ୍କ ୩ କିସ୍ତି ମହଙ୍ଗା ଭତ୍ତା ବାକି ରହିଥିଲା । ଏହି ଅର୍ଥକୁ କରୋନା ସମୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଖର୍ଚ୍ଚ କରାଯାଇଥିବା କେନ୍ଦ୍ର ସରକାର କହିଥିଲେ । ଏବେ ବାକି ରହିଥିବା କିସ୍ତି ସହ ନୂଆ ମହଙ୍ଗା ଭତ୍ତା କର୍ମଚାରୀଙ୍କୁ ସେପ୍ଟେମ୍ବରରୁ ମିଳିବା ଆରମ୍ଭ ହେବ ।