ଜମ୍ମୁ ବାୟୁସେନା ସ୍ଥଳ ନିକଟରେ ଡ୍ରୋନ

ଜମ୍ମୁ: ଏଠାରେ ଥିବା ଭାରତୀୟ ବାୟୁସେନା ସ୍ଥଳ ଉପରେ ପୁନର୍ବାର ଏକ ଡ୍ରୋନକୁ ଠାବ କରାଯାଇଛି । ବୁଧବାର ରାତିରେ ଏହି ଡ୍ରୋନ ଉଡୁଥିବାବେଳେ ତାକୁ ନିରାପତ୍ତା ବାହିନୀ ଠାବ କରିଥିଲେ । ସୂଚନାଯୋଗ୍ୟ ଯେ ଏହି ବାୟୁସେନା ସ୍ଥଳ ଉପରେ ଜୁନ୍ ୨୭ ତାରିଖରେ ଡ୍ରୋନରୁ ଆକ୍ରମଣ କରାଯିବାର ମାତ୍ର ତିନି ସପ୍ତାହ ପରେ ପୁନଶ୍ଚ ଏଠାରେ ଡ୍ରୋନ ଉଡିବା ଘଟଣା ଦେଶର ନିରାପତ୍ତା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବୁଧବାର ରାତିରେ ଡ୍ରୋନ ଉଡିବା ସମୟରେ ସେଠାରେ ସ୍ଥାପନ କରାଯାଇଥିବା ଡ୍ରୋନ ଠାବକାରୀ ରାଡାର ପ୍ରଯୁକ୍ତି ଡ୍ରୋନକୁ ତୁରନ୍ତ ଠାବ କରିବାରେ ସମର୍ଥ ହୋଇଥିଲା । ଏହାପରେ ସଜାଗ ଥିବା ଭାରତୀୟ ସୈନ୍ୟମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଡ୍ରୋନଟି ପ୍ରାୟ ୩ କିଲୋମିଟର ଉଚ୍ଚତାରେ ଉଡୁଥିଲା ଏବଂ ଏହା ସେକେଣ୍ଡକୁ ୯ ମିଟର ବେଗରେ ଗତି କରୁଥିଲା । ଉକ୍ତ ସ୍ଥାନରେ ଖଞ୍ଜାଯାଇଥିବା କିଲର ଡ୍ରୋନ ବ୍ୟବସ୍ଥା ସକ୍ରିୟ ହୋଇଯିବାପରେ ସୈନ୍ୟମାନେ ଡ୍ରୋନକୁ ନିଷ୍କ୍ରିୟ କରିଦେଇଥିଲେ । ପରେ ଡ୍ରୋନଟି ତଳକୁ ଖସିପଡିଥିଲା ।ସୁରକ୍ଷା ବାହିନୀ ପକ୍ଷରୁ ତୁରନ୍ତ ଉକ୍ତ ଅଞ୍ଚଳରେ ତଲାସି ଅଭିଯାନ ଆରମ୍ଭ କରାଯିବା ସହିତ ଉକ୍ତ ଡ୍ରୋନରେ କିଛି ସାମଗ୍ରୀ ଥିଲା କି ନାହିଁ ତାହା ଯାଞ୍ଚ କରିବା ଆରମ୍ଭ କରିଦେଇଥିଲେ । ସୂଚନାଯୋଗ୍ୟ ଯେ ଏହାର ଦିନକ ପୂର୍ବରୁ ମଙ୍ଗଳବାର ରାତି ପ୍ରାୟ ୧୦ଟାରେ ଜମ୍ମୁର ଆରନିଆ ସେକ୍ଟରରେ ସୀମା ଆରପଟେ ଏକ ଡ୍ରୋନ ଉଡୁଥିବା ଭାରତର ସୀମା ସୁରକ୍ଷା ବାହିନୀ ଯବାନମାନେ ଦେଖିବାକୁ ପାଇଥିଲେ । ଏହା ପ୍ରାୟ ୨୦୦ ମିଟର ଉଚ୍ଚତାରେ ଉଡାଣ କରୁଥିଲା । ଯବାନମାନେ ଏହାକୁ ଲକ୍ଷ୍ୟ କରି ଗୁଳି ଚଳାଇବା ପରେ ଡ୍ରୋନଟି ପୁଣି ପାକିସ୍ତାନ ମଧ୍ୟକୁ ପଳାଇ ଯାଇଥିଲା ।

Leave A Reply

Your email address will not be published.

two × one =