ପେଗାସସ୍ ମାମଲାର ତଦନ୍ତ କରିବ ଇସ୍ରାଏଲ୍

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ପେଗାସସ ମାମଲା ନେଇ ଆଜି କ୍ରମାଗତ ତୃତୀୟ ଦିନ ପାଇର୍ ପାର୍ଲାମେଂଟ ଅଚଳ ହୋଇପଡିଥିଲା ବେଳେ ମାମଲାର ଏସଆଇଟି ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ଆଜି ଜଣେ ଆଇନ୍ଜୀବୀ ପିଆଇଏଲ ଦାଖଲ କରିଛନ୍ତି । ଇସ୍ରାଏଲର ଏହି ଗୁଇନ୍ଦା ସଫ୍ଟୱୟାର ବା ମାଲୱୟାର ବ୍ୟବହାର କରି ସରକାର ସାମ୍ବାଦିକ, ରାଜନେତା, ବିଚାରପତି ଏବଂ ଅନ୍ୟମାନଙ୍କ ତଥ୍ୟ ହାସଲ କରିଥିବା ଆବେଦନରେ ଦର୍ଶାଯାଇଛି । ଅନ୍ୟପଟେ ଇସ୍ରାଏଲ ମଧ୍ୟ ପେଗାସସର ନିର୍ମାତା ଏନଏସଓ ବିରୋଧରେ ବିଭିନ୍ନ ଦେଶରେ ଆସିଥିବା ଅଭିଯୋଗକୁ ନେଇ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି । ଆବେଦନରେ କୁହାଯାଇଛି ଯେ ପେଗାସସ୍ ଜରିଆରେ ତଥ୍ୟ ଚୋରି ଏକ ଚିନ୍ତାର ବିଷୟ । ଏହା ଭାରତୀୟ ଗଣତନ୍ତ୍ର, ନ୍ୟାୟପାଳିକା ଏବଂ ଦେଶର ସୁରକ୍ଷା ଉପରେ ଏକ ବଡ଼ ଆକ୍ରମଣ । ବିନା କୌଣସି ଉତ୍ତରଦାୟିତ୍ୱରେ ଏହି ସଫ୍ଟୱୟାର ବ୍ୟବହାର କରିବା ବେଆଇନ୍ ବୋଲି ଆବେଦନକାରୀ କହିଛନ୍ତି ।ଆବେଦନରେ ଦର୍ଶାଯାଇଛି, ‘ଗୋପନୀୟତା ଲୁଚାଇବାକୁ କେହି ଇଚ୍ଛା କରନ୍ତି ନାହିଁ । ବରଂ ଏହା ଆମର ନିଜର ଏକ ସ୍ଥାନ । ଯେଉଁଠି ଆମର ଚିନ୍ତାଧାରା ଏବଂ ଆମର ଅସ୍ତିତ୍ୱ ରୁହେ । ଏହା ଅନ୍ୟ କାହାର ଉଦେ୍ଧଶ୍ୟ ପୂରଣ ପାଇଁ ନୁହେଁ । ଏଥିପାଇଁ ସମ୍ମାନ ରହିବା ଦରକାର । ଆବେଦନକାରୀ ଦର୍ଶାଇଛନ୍ତି ଯେ ପେଗାସସ୍ କେବଳ ବାର୍ତ୍ତାଳାପ ଶୁଣିବା ପାଇଁ ବ୍ୟବହୃତ ହୁଏ ନାହିଁ, ବରଂ ଏହା ଜଣେ ବ୍ୟକ୍ତିଙ୍କ ଜୀବନ ବିଷୟରେ ସମ୍ପୂର୍ଣ୍ଣ ଡିଜିଟାଲ୍ ସୂଚନା ହାସଲ କରିବା ପାଇଁ ବ୍ୟବହୃତ ହୁଏ । ଏଥିସହ ଫୋନ ବ୍ୟବହାରକାରୀଙ୍କୁ ଯୋଗାଯୋଗ ତାଲିକା ମଧ୍ୟ ସଂଗ୍ରହ କରିଥାଏ ।’ତେବେ ଆଗାମୀ ଦିନରେ ଏହି ଆବେଦନ ଶୁଣାଣି ହେବାର ସମ୍ଭାବନା ରହିଛି । ପିଆଇଏଲରେ ଦାବି ହୋଇଛି ଯେ ୨୦୧୬ ମସିହାରୁ ଏନଏସଓ କମ୍ପାନୀ ପ୍ରାୟ ୫୦ ହଜାର ଫୋନ୍ ନମ୍ବରକୁ ଟାର୍ଗେଟ କରିଛି । ଏଥିରେ କୁହାଯାଇଛି, ‘ପେଗାସସ୍ କେବଳ ମନିଟରିଂ ଉପକରଣ ନୁହେଁ । ଏହା ଏକ ସାଇବର ଅସ୍ତ୍ର । ପେଗାସସ୍ ବ୍ୟବହାର ଜାତୀୟ ସୁରକ୍ଷା ପ୍ରତି ବିପଦ । ୨୦୧୭ ମସିହାରୁ ବିଚାରପତି, ବିରୋଧୀ ଦଳର ନେତା, ରାଜନୀତିକ ବ୍ୟକ୍ତିବିଶେଷ ଅନ୍ୟମାନଙ୍କ ବିରୋଧରେ ଏହି ସଫ୍ଟୱୟାର ବ୍ୟବହାର ହେଉଛି । ରାଜନୀତିକ ସ୍ୱାର୍ଥ ପାଇଁ ୨୦୧୭ ମସିହାରୁ ପେଗାସସ୍ କିଣିବାକୁ ଆବେଦନ କରାଯାଇଛି ବୋଲି ଆବେଦନକାରୀ କହିଛନ୍ତି । ଗୁଇନ୍ଦା ସୂଚନା ପାଇଁ ପେଗାସସ୍ କିଣିବା ବେଆଇନ ଏବଂ ଅସାମ୍ବିଧାନିକ ବୋଲି ଘୋଷଣା କରିବାକୁ ଆବେଦନକାରୀ ଆବେଦନରେ ଦର୍ଶାଇଛନ୍ତି ।

Leave A Reply

Your email address will not be published.

four × 3 =