ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ପେଗସସ୍ ସ୍ପାଇୱେର ମାମଲା ଏବଂ ଚାଷୀ ଆନ୍ଦୋଳନକୁ ନେଇ ଆଜି ପାର୍ଲାମେଂଟର ଉଭୟ ଗୃହ ଲୋକ ସଭା ଓ ରାଜ୍ୟସଭାରେ ବିରୋଧି ଦଳର ହଟଗୋଳ ଯୋଗୁଁ ଉଭୟ ଗୃହ ଅଚଳ ହୋଇପଡିଛି । ଲୋକସଭାକୁ ବାଚସ୍ପତି ଶ୍ରୀ ଓ୍ମ୍ ବିର୍ଲା ବାରମ୍ବାର ମୁଲତବି ରଖ୍ôଥିଲେ । ସେହିପରି ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଯୋଗୁଁ ଗୃହକୁ ଅଧ୍ୟକ୍ଷ ଏନ୍ଭେଙ୍କେୟା ନାଇଡୁ ବାରମ୍ବାର ମୁଲତବି ଘୋଷଣା କରିଥିଲେ । ପେଗାସସ୍ ଉପରେ ଆଲୋଚନା ପାଇ ବିରୋଧି ଦଳ ନିଜ ଜିଦିରେ ଅଟଳ ରହିଛି । ଆଲୋଚନା ନହେବା ପର୍ଯ୍ୟନ୍ତ ଗୃହକୁ ଚଲାଇ ଦିଆଯିବ ନାହିଁ ବୋଲି ବିରୋଧି ଦଳ ନିଜ ଜିଦିରେ ଅଟଳ ରହିଛି ।
ଅନ୍ୟପକ୍ଷରେ ସଂସଦରେ ଅଚଳାବସ୍ଥା ଏବଂ ନିରନ୍ତର ବ୍ୟାଘାତ ଯୋଗୁଁ ୧୪ରୁ ଅଧିକ ବିରୋଧୀ ଦଳ ବାହାରେ ବିକଳ୍ପ ‘ମକ୍ ପାର୍ଲାମେଣ୍ଟ୍’ ପ୍ରସଙ୍ଗରେ ନିଷ୍ପତ୍ତି ନେବା ଲାଗି ଆସନ୍ତାକାଲି ସକାଳେ ଏକତ୍ର ହେବେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି । ସଂସଦରେ ସେମାନଙ୍କ କଥାକୁ କର୍ଣ୍ଣପାତ କରାଯାଉନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ, ବିରୋଧୀ ଦଳମାନଙ୍କ ହଟ୍ଟଗୋଳ ଯୋଗୁଁ ଜୁଲାଇ ୧୯ରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ପ୍ରାୟ ଚାଲି ପାରିନାହିଁ । ବ୍ୟାଘାତ ଯୋଗୁଁ ଟିକସଦାତାଙ୍କର ୧୩୩ କୋଟି ଟଙ୍କାରୁ ଅଧିକ ନଷ୍ଟ ହୋଇଥିବା କଥା ସରକାରୀ ସୂତ୍ରରୁ ପ୍ରକାଶ । ଏହାବ୍ୟତିରେକେ, ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ‘ଟ୍ରାଇବୁନାଲ୍ ରିଫର୍ମ ବିଲ୍, ୨୦୨୧’ ଆଗତ କରିଛନ୍ତି ।
ସେହିଭଳି, ବିରୋଧୀମାନେ ତିନି କୃଷି ଆଇନକୁ ପ୍ରତ୍ୟାହାର କରିନେବା ଲାଗି ଦାବି କରି ସ୍ଲୋଗାନ୍ ଦେଇଥିଲେ । ସ୍ୱଳ୍ପକାଳୀନ ବିରତି ପରେ ମଧ୍ୟାହ୍ନ ୧୨ପରେ ରାଜ୍ୟସଭାରେ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ, ବିରୋଧୀମାନେ ପୁନର୍ବାର ପୂର୍ବ ଦାବି ଉପସ୍ଥାପନ କରି ପାଟିତୁଣ୍ଡ କରିଥିଲେ । ଅଧିବେଶନ ପ୍ରାରମ୍ଭରେ ଟୋକିଓ ଅଲିମ୍ପିକ୍ କ୍ରୀଡ଼ାରେ ବ୍ରୋଞ୍ଜପଦକ ବିଜୟିନୀ ପିଭି ସିନ୍ଧୁଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ଲୋକସଭା ପକ୍ଷରୁ ବାଚସ୍ପିତି ପିଭି ସିନ୍ଧୁଙ୍କୁ ପ୍ରଶଂସା କରିଥିଲେ ।