ନୂଆଦିଲ୍ଲୀ,୭ ।୦୬(ଏଜେନ୍ସି): ସେପ୍ଟେମ୍ବର ମଧ୍ୟଭାଗ ଆଡ଼କୁ ଭାରତରେ କରୋନା ଭାଇରସ ମହାମାରୀ ଶେଷ ହେବାର ସମ୍ଭାବନା ଥିବା କଥା ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଆଶା କରୁଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସାଧାରଣ ସ୍ୱାସ୍ଥ୍ୟ ସେବା ନିର୍ଦେଶାଳୟର ସାଧାରଣ ସ୍ୱାସ୍ଥ୍ୟ ଦେବାର (ଜନସ୍ୱାସ୍ଥ୍ୟ) ଉପମହାନିର୍ଦେଶକ ଡାକ୍ତର ଅନୀଲ କୁମାରଙ୍କ କହିବା ଅନୁସାରେ, ସେପ୍ଟେମ୍ବର ମଧ୍ୟଭାଗ ଅଡ଼କୁ ଭାରତରେ ମହାମାରୀର ଅବସାନ ଘଟିବ ।
‘ଏପିଡେମିଲୋଜି ଇଂଟରନ୍ୟାସନାଲ ଜର୍ଣ୍ଣାଲ’ରେ ପ୍ରକାଶିତ ଏକ ଲେଖାରେ ଡାକ୍ତର ଅନୀଲ କୁମାର ଏହା ଉଲ୍ଲେଖ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସାଧାରଣ ସ୍ୱାସ୍ଥ୍ୟ ସେବା ନିଦେ୍ର୍ଧଶାଳୟର ସାଧାରଣ ସ୍ୱାସ୍ଥ୍ୟ ସେବାର (କୁଷ୍ଠ) ଉପ ସହକାରୀ ମହାନିର୍ଦେଶିକା ରୂପାଲୀ ରାୟଙ୍କ ସହ ମିଶି ସେ ଏହି ଆଲେଖ୍ୟଟି ପ୍ରସ୍ତୁତ କରିଛନ୍ତି ।
ଗଣମାଧ୍ୟମକୁ ଡାକ୍ତର କୁମାର କହିଛନ୍ତି, ‘ବେଲି’ଜ୍ ମଡେଲ୍’ ନାମରେ ସୁପରିଚିତ ମଡେଲ୍ ଆଧାରରେ ସେ ଆକଳନ କରିଛନ୍ତି । ଏହା ‘ରିଲେଟିଭ୍ ରିମୋଭାଲ୍ ରେଟ୍’ ଉପରେ ଆଧାରିତ । ଏହାର ଅର୍ଥ ଗୋଟିଏ ‘ପୁଲ୍’ ବା ଦଳ ମଧ୍ୟକୁ କେତେଜଣ ପ୍ରବେଶ କରୁଛନ୍ତି ଓ କେତେ ଜଣ ବାହାରି ଯାଉଛନ୍ତି । ଯଦି ସଂକ୍ରମିତ ଜନତାଙ୍କ ସଂଖ୍ୟା ସୁସ୍ଥ ହୋଇ ଚାଲିଯାଉଥିବା ଜନତାଙ୍କ ସଂଖ୍ୟା ସଙ୍ଗେ ସମାନ ହୁଏ, ତେବେ ମହାମାରୀର ଅବସାନ ଘଟିବ ।
ଆମେ ମେ’ ୧୯ ତାରିଖରେ ଏହି ଅଧ୍ୟୟନ ଆରମ୍ଭ କରିବା ବେଳେ ସଂକ୍ରମଣ ଓ ସୁସ୍ଥ ହେଉଥିବା ଜନତାଙ୍କ ସଂଖ୍ୟା ଥିଲା ୪୨% । ଏବେ ଏହା ପ୍ରାୟ ୫୦% । ତେଣୁ ସେପ୍ଟେମ୍ବର ମାସ ମଧ୍ୟଭାଗ ବେଳକୁ ଏହି ହାର ୧୦୦% ହୋଇଯାଇଥିବ । ଏପରି ହେଲେ ମହାମାରୀ ସଂକ୍ରମଣର ଅବସାନ ଘଟିବ ।