ୟୁ.ଜି.ସି.ର ପରୀକ୍ଷା ପରିଚାଳନା ନିଷ୍ପତି ପ୍ରତ୍ୟାହାର ଦାବି

ଭୁବନେଶ୍ୱର: ୟୁ.ଜି.ସି. ଗାଇଡ୍ ଲାଇନ୍, ୬, ଜୁଲାଇ ୨୦୨୦କୁ ଅଖିଳ ଭାରତ ଛାତ୍ର ସଂଘ ବିରୋଧ କରିବା ସହ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରିଅଛି । ଗୃହ ମନ୍ତ୍ରଣାଳୟ ଓ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ମଞ୍ଜୁରୀ ନେଇ ୟୁ.ଜି.ସି. ଗତ ୬ ଜୁଲାଇରେ ଜାରି କରିଥିବା ଗାଇଡ୍ଲାଇନ୍ ସମସ୍ତ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ସେପ୍ଟେମ୍ବର ସୁଦ୍ଧା ପରୀକ୍ଷା ଶେଷ କରିବା ପାଇଁ ନିର୍ଦେଶ ଜାରି କରିଛି । ୟୁ.ଜି.ସି.ର ଏହି ନିଷ୍ପତି ଧନୀ-ଗରିବ ଛାତ୍ର ବିଭାଜନ, ଅମାନବୀୟ, ଦାୟିତ୍ୱହୀନ ଓ ଅଗଣତାନ୍ତ୍ରିକ । ମୁଷ୍ଟିମେୟ କିଛି ଉଚ୍ଚପଦସ୍ଥ ଅଧିକାରୀଙ୍କ ନିଷ୍ପତି ବାସ୍ତବ ସ୍ଥିତିଠାରୁ ବହୁ ଦୂରରେ ଓ ଦୂରଦୃଷ୍ଟିହୀନ ଏବଂ ଏହା ବହୁଜାତୀୟ କମ୍ପାନୀମାନଙ୍କ ବ୍ୟବସାୟିକ ସ୍ୱାର୍ଥ ପାଇଁ ଉଦ୍ଧିଷ୍ଟ । ଗତ ମାର୍ଚ୍ଚ ମାସରୁ ଇତିମଧ୍ୟରେ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ହେବ ଏବଂ ହେବନାହିଁ ଏହି ବିଭ୍ରାନ୍ତିକର ନିର୍ଦେଶାବଳୀ ପ୍ରସାରଣ କରାଇ ମାନବ ସମ୍ବଳ ମନ୍ତ୍ରଣାଳୟ ଓ ଗୃହ ମନ୍ତ୍ରଣାଳୟ ସମଗ୍ର ଦେଶରେ ଛାତ୍ରଛାତ୍ରୀମାନଙ୍କର ଅଧ୍ୟୟନ ମନୋବଳକୁ ଘୋର ଆଘାତ ଦେଇଛନ୍ତି । କେତେକ ରାଜ୍ୟ ସରକାର କରୋନା ସ୍ଥିତିକୁ ଅନୁଧ୍ୟାନ କରି ପରୀକ୍ଷା ବାତିଲ୍ ନିଷ୍ପତି ନେଇଥିବା ସ୍ଥଳେ ୟୁ.ଜି.ସି. ପକ୍ଷରୁ କୌଣସି ହିତାଧିକାରୀ ଯଥା- ଛାତ୍ର ସଂଗଠନ, ଶିକ୍ଷକ ସଂଗଠନ ଓ ଶିକ୍ଷାବିତ୍ମାନଙ୍କ ପରାମର୍ଶ ନ ନେଇ ଏକତରଫା ନିଷ୍ପତି ଅଧିକ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସୁଯୋଗରୁ ବଂଚିିତ କରିବା ପାଇଁ ହୀନ ଷଡ଼ଯନ୍ତ୍ର ଓ ଉଦେଶ୍ୟ ପ୍ରଣୋଦିତ ଅଟେ । ପ୍ରଚଳିତ ଶିକ୍ଷାନୀତିରେ ଦୁର୍ବଳ ଭିତିଭୂମିରେ ଶାରୀରିକ ଦୂରତା ରକ୍ଷା କରି ମହାମାରୀ ସମୟରେ ପରୀକ୍ଷା ପରିଚାଳନା କରିବା ଏକ ଦିବା ସ୍ୱପ୍ନ । ଏହି ଅମାନବୀୟ ନିଷ୍ପତି ଛାତ୍ରଛାତ୍ରୀମାନଙ୍କୁ କରୋନାର କରାଳଗ୍ରାସ ମଧ୍ୟ ଠେଲିଦେବ । ୟୁ.ଜି.ସି.ର ଗାଇଡ୍ଲାଇନ୍ ମଧ୍ୟରେ ଯେଉଁ ଅନ୍ଲାଇନ୍ ପରୀକ୍ଷାର ନିର୍ଦେଶ ରହିଛି, ତାହା ଅଧିକାଂଶ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସୁଯୋଗରୁ ବଂଚିତ କରିବ । ୟୁ.ଜି.ସି.ର ଏହି ଧନୀ, ଗରିବ ଛାତ୍ର ବିଭାଜନ ଓ ସମୂହ ଛାତ୍ର ବିରୋଧି ପରୀକ୍ଷା ପରିଚାଳନା ପଦ୍ଧତିର ନିର୍ଦେଶାବଳୀ ତୁରନ୍ତ ପ୍ରତ୍ୟାହାର କରି ହିତାଧିକାରୀ ଛାତ୍ର ସଂଗଠନ, ଶିକ୍ଷକ ସଂଗଠନ ଓ ଶିକ୍ଷାବିତ୍ଙ୍କ ସହ ଆଲୋଚନା କରି ସର୍ବବାଦୀ ମତ ଭିତିରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଭବିଷ୍ୟତକୁ ସୁନିଶ୍ଚିତ କରିବା ଦିଗରେ ଆବଶ୍ୟକୀୟ ନିଷ୍ପତି ନେବାପାଇଁ ଏ.ଆଇ.ଏସ୍.ଏଫ୍. ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଦୃଢ ଦାବି କରାଯାଇଛି ବୋଲି ଏ.ଆଇ.ଏସ୍.ଏଫ୍.ର ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

sixteen + seventeen =