ବଣ୍ଡା ଘାଟିର ଦେବଦୂତ ଡାକ୍ତର ଚମ୍ପେଶ୍ୱର

ମାଲକାନଗିରି : ବଣ୍ଡାଘାଟିରେ ସ୍ଥାୟୀ ଭାବେ କୌଣସି ଏମବିବିଏସ ଡାକ୍ତର ରହିବାକୁ ଇଛା କରନ୍ତି ନାହିଁ,ସେହି ବଣ୍ଡାଘାଟିରେ ବଣ୍ଡାଙ୍କ ସ୍ୱାସ୍ଥ୍ୟ ସେବାର ଚିତ୍ର ବଦଳାଇବା ପାଇଁ ଡାକ୍ତର ଚମ୍ପେଶ୍ୱର ପାଣିଗ୍ରାହୀ ଉଦ୍ୟମ କରିଛନ୍ତି। ବଣ୍ଡାଘାଟିରେ ନିଯୁକ୍ତି ପରେ ଶୋଚନୀୟ ଥିବା ବଣ୍ଡାଘାଟିର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚକାଚକ୍ ଓ ସୁବ୍ୟବସ୍ଥା କରିବା ସହିତ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଫୁଲବଗିଚା କରିଛନ୍ତି। ଚମ୍ପେଶ୍ୱର ଏବେ ବଣ୍ଡାଘାଟିର ଦ୍ୱିତୀୟ ଭଗବାନ ପାଲଟିଛନ୍ତି। ମାଲକାନଗିରି ଜିଲ୍ଲା ଉପାନ୍ତ ଆଦିମ ଜନଜାତି ବସବାସ କରୁଥିବା ବଣ୍ଡା ଘାଟିରେ ବନ ପାହାଡ଼ ଘେରା ବଣ୍ଡା ଘାଟି କଥା କହିଲେ କିଏ ନ ଜାଣନ୍ତି। ଏଠାରେ ମୁଦୁଲିପଡ଼ା ଠାରେ ରହିଥିବା ଆରୋଗ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଫୁଲ ବଗିଚା,ଭିତରେ ପରିଛନତା ସହ ଘରୋଇ ମେଡିକାଲ ପରି ସୁବ୍ୟବସ୍ଥା କରାଯାଇଛି । ଗତ ଦୁଇ ବର୍ଷ ତଳେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଭଙ୍ଗା ଦଦରା ଅପରିଷ୍କାର ଭାବେ ଥିବା ବେଳେ ଏହାର ଚିତ୍ର ବଦଳି ଦେଇଛନ୍ତି ଡାକ୍ତର ଚମ୍ପେଶ୍ୱର । ପୂର୍ବରୁ କୌଣସି ଏମବିବିଏସ ଡାକ୍ତର ଏଠି ସ୍ଥାୟୀ ଭାବେ ଆସିବାକୁ ରାଜି ନଥିବା ବେଳେ ବାଧ୍ୟ ବାଧକତାରେ କୁଣିଆ ଭଳି ଆସି କିଛି ଘଣ୍ଟା ଚିକିତ୍ସା ଦେଇ ଚାଲିଯାଉଥିଲେ। କିନ୍ତୁ ଏହାରି ଭିତରେ ଡାକ୍ତର ଚମ୍ପେଶ୍ୱର ମନ ବଳାଇଲେ ଯେ ସମସ୍ତେ ତ ସହରର ରହି ଚିକିତ୍ସା ଯୋଗାଇ ଆସୁଛନ୍ତି,କିନ୍ତୁ ଉପାନ୍ତ ବଣ୍ଡାଘାଟିରେ ଉତ୍ତମ ସେବା ଯୋଗାଇବା ପାଇଁ ମନ ବଳାଇଥିଲେ ।ପ୍ରଥମେ ନିଯୁକ୍ତି ପରେ ଦେଖିଥିଲେ ବଣ୍ଡା ଜନଜାତି ଲୋକେ ଚିକିତ୍ସାଳୟ ନଆସି ଗୁଣିଆ ଓ ଡିଶାରି ପାଖକୁ ଯିବା ସହ ଗୁରୁତର ହୋଇ ମାଲକାନଗିରି ଓ ଖଇରପୁଟ ଡାକ୍ତରଖାନାରେ ଯାଇ ଭର୍ତ୍ତି ହେଉଛନ୍ତି। ତେଣୁ ସେ ପ୍ରଥମେ ବିଭିନ୍ନ ଗାଁ ବୁଲି ଲୋକଙ୍କୁ ସଚେତନ କରାଇ ମେଡିକାଲ ମୁହାଁ କଲେ। ଏହାସହ ଚିକିତ୍ସାଳୟର ଚିତ୍ର ବଦଳାଇ ସହରରେ ଥିବା ଚିକିତ୍ସାଳୟ ପରି ସବୁ ବ୍ୟବସ୍ଥା କରାଇଲେ। ସମସ୍ତ ଷ୍ଟାଫକୁ ନିଜ ନିଜ ଦାୟିତ୍ୱ କିଭଳି ତୁଲାଇବେ ତାହା କରିବା ପାଇଁ ପରାମର୍ଶ ଦେଲେ। ଏହାରି ଭିତରେ ପ୍ରତ୍ୟେକ ଦିନ ହାରାହାରୀ ୩୫ରୁ ୪୦ ରୋଗୀ ଆସି ଚିକିତ୍ସା ସେବା ପାଇଁ ଯାଉଛନ୍ତି। ରହିବା ପାଇଁ ଭଲ ଘର ଖଣ୍ଡେ ନାହିଁ। ମୋବାଇଲ ସେବା ଠିକ ଭାବେ ନାହିଁ। ତାହାସତ୍ବେ ମଧ୍ୟ ବଣ୍ଡା ଜନଜାତିଙ୍କୁ ଅନବରତ ସେବା କରିବା ସହ ଆଗାମୀ ଦିନରେ ଗୁଣିଆ ଡିଶାରିକୁ ଭରସା ନକରିବେ ସେନେଇ ସମସ୍ତଙ୍କ ଉଦ୍ୟମ ଜାରି ରଖିଛନ୍ତି। ଏଭଳି ଡାକ୍ତର ଓ ଚିକିତ୍ସା ସେବା ପାଇଁ ବେଶ ଖୁସି ବଣ୍ଡାଘାଟିର ବଣ୍ଡା ଜନଜାତି। ରାତି ହେଉବା ଦିନ ୨୪ ଘଣ୍ଟା ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି ଡାକ୍ତର ଚମ୍ପେଶ୍ୱର । ଗର୍ଭବତୀଙ୍କ ଡେଲିଭେରି ହେଉ ବା ଅନ୍ୟ ଛୋଟ ବଡ ରୋଗ ପାଇଁ ଆଉ ଯିବାକୁ ପଡୁ ନାହିଁ ମାଲକାନଗିରି। ଆଉ ଏଥିରେ ସହଯୋଗ କରୁଛନ୍ତି ତାଂକର ଧର୍ମପତ୍ନୀ ଅନୁଜା ମିଶ୍ର। ଏମବିଏ ପାସ କରିବା ପରେ ଭଲ କମ୍ପାନୀରେ ଭଲ ଅର୍ଥରେ ଚାକିରି କରିପାରିଥାନ୍ତେ। କିନ୍ତୁ ତାହା ଛାଡି ଏବେ ସ୍ୱାମୀଙ୍କ ପଥରେ ଅନୁପ୍ରାଣିତ। ଉପାନ୍ତ ଇଲାକାରେ ସ୍ଥାୟୀ ଭାବେ ରହି ଖାଲି ସମୟରେ ଗାଁ ଗାଁ ବୁଲି ବଣ୍ଡାଘାଟୀର ମହିଳାମାନଙ୍କ ସହ ଆଲୋଚନା କରି ସେମାନେ କିପରି ଚିକିତ୍ସାଳୟକୁ ଯିବେ ସେନେଇ ସଚେତନ କରାଉଛନ୍ତି । ଏଥିରେ ସେ ବେଶ ଖୁସିରେ ମଧ୍ୟ ଅଛନ୍ତି। ଡାକ୍ତର ଚମ୍ପେଶ୍ୱରଙ୍କର ଏଭଳି ସେବା ମନୋଭାବ ବଣ୍ଡା ଜନଜାତିଙ୍କ ପାଇଁ କୌଣସି ଭଗବାନଙ୍କ ଠାରୁ କମ୍ ନୁହନ୍ତି। ତାଙ୍କର ଏହି ସେବା ଆଗାମୀ ଦିନରେ ଅନେକ ଡାକ୍ତରଙ୍କୁ ଅନୁପ୍ରାଣିତ ନିଶ୍ଚିତ କରିବ।

Leave A Reply

Your email address will not be published.

one × 1 =