ସ୍ୱଳ୍ପ ସମୟରେ ୧00 ଏମଏମଟି ପଣ୍ୟ ପରିଚାଳନା କରି ସର୍ବ ଭାରତୀୟ ସ୍ତରରେ ପାରାଦୀପ ବନ୍ଦରର କୀର୍ତ୍ତିମାନ ସ୍ଥାପନ

ପାରାଦୀପ :  ସ୍ୱଳ୍ପ ସମୟ ମଧ୍ୟରେ ୧00 ମିଲିୟନ ମେଟ୍ରିକ ଟନ (ଏମଏମଟି) ପଣ୍ୟ ପରିଚାଳନା କରି ପାରାଦୀପ ବନ୍ଦର ନିଜସ୍ୱ ରେକର୍ଡ ଭଙ୍ଗ କରିବା ସହ ସର୍ବ ଭାରତୀୟ ବୃହତ ବନ୍ଦର ଇତିହାସରେ ବିରଳ କୃତିତ୍ୱ ହାସଲ କରିଛି l ଲଗାତାର ସାତବର୍ଷ ଧରି ୧00 ଏମଏମଟି କ୍ଲବରେ ସାମିଲ ହୋଇ ଚଳିତ ଆର୍ଥିକ ବର୍ଷ ଡିସେମ୍ବର ୧୮ ତାରିଖରେ ୧00.୨୮ ଏମଏମଟି ପଣ୍ୟ ପରିଚାଳନା କରି ରେକର୍ଡ ସୃଷ୍ଟି କରିଛି ପାରାଦୀପ ବନ୍ଦର l ପୂର୍ବ ଆର୍ଥିକ ବର୍ଷରେ ପାରାଦୀପ ବନ୍ଦରକୁ ଏହି କୃତିତ୍ୱ ହାସଲ ପାଇଁ ୨୮୪ ଦିନ ଲାଗିଥିବା ବେଳେ ଏହାର ୨୨ ଦିନ ପୂର୍ବରୁ ଅର୍ଥାତ ୨୬୨ ଦିନରେ ଏହି ବିରଳ ସଫଳତା ମିଳିପାରିଛି l  ଏହି ସଫଳତା ପଣ୍ୟ ପରିଚାଳନାରେ ପାରାଦୀପ ବନ୍ଦରର ଉତ୍କର୍ଷତା ଓ ଦକ୍ଷତା ପ୍ରତିପାଦନ କରୁଛି l ତେବେ ଚଳିତ ଆର୍ଥିକ ବର୍ଷ ଶେଷ ପର୍ଯ୍ୟାୟରେ ପାରାଦୀପ ବନ୍ଦର ୧୪୫ ଏମଏମଟି ରୁ ଉର୍ଦ୍ଧ ପଣ୍ୟ ପରିଚାଳନା କରିବାର ଲକ୍ଷ୍ୟ ରଖିଛି l ତେବେ ବନ୍ଦର ପୋତାଶ୍ରୟରେ ବିଭିନ୍ନ ଯାନ୍ତ୍ରିକରଣ ଓ ଉନ୍ନୟନ କାର୍ଯ୍ୟ ପାଇଁ ଏହା ସମ୍ଭବ ହୋଇପାରିଛି l ଏହି ସଫଳତା ଉତ୍ସବ ପାଳନ ପରିପ୍ରେକ୍ଷୀରେ ବନ୍ଦର ଅଧ୍ୟକ୍ଷ ପି.ଏଲ. ହରନାଦ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଯେ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଆଉଟବାଉଣ୍ଡ ଆଇରନ୍ ଓର ଏବଂ ପେଲେଟ୍ ଉଲ୍ଲେଖନୀୟ ୬୯.0୩ % ଅଭିବୃଦ୍ଧି ପ୍ରଦର୍ଶନ କରିଛି l ବନ୍ଦରରେ ପରିଚାଳିତ ସମୁଦାୟ ପଣ୍ୟ ପରିମାଣର କୋଷ୍ଟାଲ୍ ଥର୍ମାଲ୍ କୋଇଲା ପରିଚାଳନା ପ୍ରାୟ ୩0.୩୮ % ଏବଂ ଏହା ବନ୍ଦର କାର୍ଯ୍ୟଦକ୍ଷତା ପାରାମିଟରରେ ଉଲ୍ଲେଖନୀୟ ଉନ୍ନତି ପଞ୍ଜିକୃତ କରିଛି l ସେହିପରି ଏବେ ବର୍ଥ ଉତ୍ପାଦନ ଦୈନିକ ପ୍ରତି  ଜାହାଜରେ ୩୨.୬୮୯  ମେଟ୍ରିକ ଟନ (ଏମଟି), ଯାହା ଦେଶର ସମସ୍ତ ପ୍ରମୁଖ ବନ୍ଦର ମଧ୍ୟରେ ସର୍ବାଧିକ l ଜାହାଜ ଟ୍ୟୁମ୍-ରାଉଣ୍ଡ-ଟାଇମ୍ ୪୨.0୧ ଘଣ୍ଟା ରେକର୍ଡ କରାଯାଇଛି l ସେହିପରି ପାରାଦୀପ ବନ୍ଦର ଦେଶର ଏକ ଉପକୂଳ ପରିବହନ ହବ୍ ଭାବରେ ଉଭା ହୋଇଛି ଏବଂ ଇତିହାସରେ ପ୍ରଥମ ଥର ପାଇଁ  ମହାରାଷ୍ଟ୍ର ଭିତ୍ତିକ ପାୱାର୍ ପ୍ଲାଣ୍ଟର ଥର୍ମାଲ୍ କୋଇଲାକୁ ପଶ୍ଚିମ ଉପକୂଳକୁ ପଠାଇବା ଆରମ୍ଭ କରିଛି l  ତେବେ କାର୍ଯ୍ୟକ୍ଷମ ଉତ୍କର୍ଷତା ପାଇଁ ବନ୍ଦରର ପ୍ରତିବଦ୍ଧତା, କାର୍ଗୋ ପରିଚାଳନାରେ ରଣନୀତିରେ ଉନ୍ନତି ସହିତ ଏହା ଶିଳ୍ପର ବିକାଶ ଓ ଅଗ୍ରଗତିର  ଆବଶ୍ୟକତାକୁ ପୂରଣ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି l ଏହି ଉତ୍ସବକୁ ସ୍ମରଣୀୟ ଓ ଚିହ୍ନିତ କରିବା ପାଇଁ ବନ୍ଦର ପ୍ରଶାସନିକ ଭବନର ବୋର୍ଡ ରୁମରେ ବୁଧବାର ଦିନ ବନ୍ଦରର ସମସ୍ତ ଉଚ୍ଚ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପସ୍ଥିତିରେ ବନ୍ଦରାଧ୍ୟକ୍ଷ ଶ୍ରୀ ହରନାଦ ସାଙ୍କେତିକ କେକ୍ କାଟିଥିଲେ l ତେବେ ଏହି ଐତିହାସିକ ସଫଳତା ପାଇଁ ଶ୍ରୀ ହରନାଦ କେନ୍ଦ୍ର ବନ୍ଦର, ଜାହାଜ ଓ ଜଳମାର୍ଗ (ଏମଓପିଏସଡବ୍ଲୁ) ବିଭାଗ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ମାର୍ଗଦର୍ଶନ, ପ୍ରେରଣା, ଗତିଶୀଳ ନେତୃତ୍ୱ ପାଇଁ କୃତଜ୍ଞତା ଜଣାଇଛନ୍ତି l ଏତଦବ୍ୟତୀତ ଏହି ସଫଳତା ପାଇଁ ବନ୍ଦରର ସମସ୍ତ ଅଧିକାରୀ, କର୍ମଚାରୀ, ଉପଭୋକ୍ତା ଶିଳ୍ପ, ଷ୍ଟିଭେଡୋରସ୍, ଷ୍ଟିମର ଏଜେଣ୍ଟ, ଟ୍ରେଡ୍ ୟୁନିଅନ୍, ପିପିପି ଅପରେଟରମାନଙ୍କୁ ସେମାନଙ୍କ ସକ୍ରିୟ ସହଯୋଗ ପାଇଁ ବନ୍ଦରାଧ୍ୟକ୍ଷ ଶ୍ରୀ ହରନାଦ ଅଭିନନ୍ଦନ ଜଣାଇବା ସହ ରାଜ୍ୟ ସରକାର, ଭାରତୀୟ ରେଳ, କଷ୍ଟମ୍ସ ଏବଂ ଅନ୍ୟାନ୍ୟ ବିଭାଗ ମାନଙ୍କ ସହଯୋଗ ପାଇଁ ପ୍ରଶଂସା କରିଛନ୍ତି l

Leave A Reply

Your email address will not be published.

18 − 17 =