ଟାଟା ଷ୍ଟିଲ ପକ୍ଷରୁ ସୋନା ନଦୀ ସଫେଇ କାର୍ଯ୍ୟକ୍ରମ ଆୟୋଜିତ

ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ଟାଟା ଷ୍ଟିଲ ପକ୍ଷରୁ ବିଶ୍ଵ ଜଳ ଦିବସ ଅବସରରେ ସ୍ଥାନୀୟ ସୋନା ନଦୀଠାରେ ଏକ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କମ୍ପାନୀର ମାଙ୍ଗାନିଜ ଖଣି କର୍ମଚାରୀମାନେ ଏକାଠି ହୋଇ ନଦୀ ପରିସରର ଅଳିଆ ଆବର୍ଜନା ଉଠାଇବା ସହ ଏହାର ସ୍ବଚ୍ଛତା ପାଇଁ ଜଳ ସ୍ରୋତର ଦୁଇ ପାଖ ଝାଡୁ ଦ୍ଵାରା ପରିଷ୍କାର କରିଥିଲେ। ଜଳ ତଥା ପରିବେଶ ସଂରକ୍ଷଣ ଉପରେ ସଚେତନତା ସୃଷ୍ଟି କରିବା ସହ ସୋନା ନଦୀକୁ କିପରି ପ୍ରଦୂଷଣ ମୁକ୍ତ କରାଯାଇ ପାରିବ, ସେ ଦିଗରେ ଟାଟା ଷ୍ଟିଲର କର୍ମଚାରୀମାନେ ଏହି ଅଭିନବ ପ୍ରୟାସ କରିଥିଲେ। ନଦୀ ଚାରିପାଖେ ପଡ଼ିଥିବା ପ୍ଲାଷ୍ଟିକ, ଜରି, କାଚ ବୋତଲ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ସବୁକୁ ଝାଡୁ ଦ୍ଵାରା ଓ ହାତରେ ଗୋଟାଇବା ସହ ବଡ଼ ବ୍ୟାଗ୍ ମାଧ୍ୟମରେ ସେ ସବୁକୁ ଏକାଠି କରିଥିଲେ। କର୍ମଚାରୀ ମାନଙ୍କ ଏହି ସ୍ବେଚ୍ଛାସେବୀ ଉପକ୍ରମରେ ଖୁସି ପ୍ରକାଶ କରି ଟାଟା ଷ୍ଟିଲର (ଏଫ୍ ଏ ଏମ୍ ଡି) ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ପଙ୍କଜ ସତିଜା କହିଛନ୍ତି ଯେ, ଜଳ ଉତ୍ସ ପରି ପ୍ରାକୃତିକ ସମ୍ପଦ ଗୁଡ଼ିକର ରକ୍ଷଣା ବେକ୍ଷଣ ତଥା ସଂରକ୍ଷଣ ଆମ ସମସ୍ତଙ୍କ ପାଇଁ ନିତାନ୍ତ ଜରୁରୀ। ଜନ ମାନସ ତଥା ସମଗ୍ର ପୃଥିବୀବାସୀଙ୍କ ପାଇଁ ଏହା ଅତ୍ୟନ୍ତ ଆବଶ୍ୟକୀୟ ସମ୍ପଦ ହୋଇଥିବା ବେଳେ ଏବେ ଠାରୁ ଆମେ ଏହାର ସଂରକ୍ଷଣ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଆମ ଆଖପାଖରେ ଥିବା ଜଳାଶୟ ଗୁଡ଼ିକର ସଠିକ୍ ସଞ୍ଚାଳନ ପାଇଁ ଆମ ପ୍ରତିବଦ୍ଧତା ଆଗକୁ ମଧ୍ୟ ଏପରି ଜାରି ରହିବ। ସଫେଇ ଅଭିଯାନ ପରେ ପରେ କମ୍ପାନୀର କର୍ମଚାରୀମାନେ ସ୍ଥାନୀୟ ଲୋକଙ୍କୁ ନେଇ ଏକ ସଚେତନତା ଅଧିବେଶନ ମଧ୍ୟ ଆୟୋଜନ କରିଥିଲେ। ଏଥିରେ ବିଶୁଦ୍ଧ ଜଳ ଉପରେ ଗୁରୁତ୍ୱାରୋପ କରାଯିବା ସହ ଦୀର୍ଘସ୍ଥାୟୀ ଜଳ ପରିଚାଳନା ତଥା ଜଳ ସମ୍ପଦ ସଂରକ୍ଷଣ ଉପରେ ବିଭିନ୍ନ ଆଲୋଚନା କରାଯାଇଥିଲା କାର୍ଯ୍ୟକ୍ରମରେ ପ୍ରାୟ ଚାଳିଶରୁ ଉର୍ଦ୍ଧ୍ବ କର୍ମଚାରୀ ଭାଗନେଇଥିବା ବେଳେ, ମାଙ୍ଗାନିଜ ଖଣି ମୁଖ୍ୟ ରାଜେଶ କୁମାର ରଞ୍ଜନ, ବରିଷ୍ଠ ଅଞ୍ଚଳ ପ୍ରବନ୍ଧକ (ପ୍ରଶାସନ) ରିମଲାଲ ଯୋଶୀ, ବରିଷ୍ଠ ଅଞ୍ଚଳ ପ୍ରବନ୍ଧକ (ନିରାପତ୍ତା) ମନୋଜ କୁମାର ମିଶ୍ର ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ପରିଚାଳନା କରିଥିଲେ।

Leave A Reply

Your email address will not be published.

one × three =