ବାଙ୍କୀ ଉପଖଣ୍ଡରେ ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ସମୀକ୍ଷା ବୈଠକ

  • ଅଘୋଷିତ ବିଦ୍ୟୁତ କାଟ ନକରିବାକୁ ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ତାଗିଦ କଲେ ବିଧାୟକ ବାଙ୍କୀ

ବାଙ୍କୀ : ବାଙ୍କୀ ଉପଖଣ୍ଡ ରେ ଆଜି ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ବିଦ୍ୟୁତ ବିଭାଗ ଟି.ପି.ସି.ଓ.ଡି.ଏଲ ର ଅଧିକାରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ବିଧାୟକ ବାଙ୍କୀ ଶ୍ରୀଯୁକ୍ତ ଦେବୀ ରଞ୍ଜନ ତ୍ରିପାଠୀ ସମୀକ୍ଷା ବୈଠକରେ ଅଧକ୍ଷତା କରିଥିଲେ। ମାନ୍ୟବର ବିଧାୟକ ଶ୍ରୀ ତ୍ରିପାଠୀ ବୈଠକର ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହିତ ବିଦ୍ୟୁତ ବିଭାଗର ଅଧିକାରୀମାନେ ବାଙ୍କୀ ଜନସାଧାରଣଙ୍କ ହିତରେ ନିଜର କାର୍ଯ୍ୟକୁ ସୂଚାରୁ ରୂପେ ଯେପରି ସମ୍ପାଦନ କରିବେ ସେଥିପାଇଁ ଦୃଢୋକ୍ତି ପ୍ରକାଶ କରିଥିଲେ ତତ୍ ସହିତ ମାନ୍ୟବର ବିଧାୟକ ସଭାରେ ଉପସ୍ଥିତ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଗଣମାଧ୍ୟମର ପ୍ରତିନିଧି ଓ ଜନ ପ୍ରତିନିଧି ମାନଙ୍କ ମତାମତ ନେଇ ବିଭିନ୍ନ ବିଦ୍ୟୁତ ସମସ୍ୟା ସମ୍ବନ୍ଧରେ ଅଲୋଚନ କରିବା ସହିତ ଟି.ପି.ସି.ଓ.ଡି.ଏଲ ବିଭାଗର ଅଧିକାରୀମାନଙ୍କୁ ତ୍ୱରିତ ପଦକ୍ଷେପ ଗ୍ରହଣ କରି ସମସ୍ୟା ଗୁଡିକୁ ସମାଧାନ କରିବାକୁ କଡା ନିର୍ଦେଶ ଦେଇଥିଲେ। ମୁଖ୍ୟତ ଅଘୋଷିତ ବିଦ୍ୟୁତକାଟ ନକରିବା ଖୋଲା ଥିବା ଟ୍ରାନ୍ସଫର୍ମର ଚାରିପଟେ ବ୍ୟାରିକେଟ ନିର୍ମାଣ କରିବା, ରାସ୍ତା କଡରେ ବିପଦ ସଂକୁଳ ଅବସ୍ଥାରେ ଥିବା ଟ୍ରାନ୍ସଫର୍ମରକୁ ତୁରନ୍ତ ସ୍ଥାନାନ୍ତର କରିବା, ଜଳସେଚନ ପ୍ରକଳ୍ପକୁ ବିଦ୍ୟୁତ ସଂଯୋଗ, ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ନିର୍ଣ୍ଣୟ କରିଥିବା ସମୟ ସରଣୀରେ ବିଦ୍ୟୁତ ମରାମତି କାର୍ଯ୍ୟ କରାଯିବା ସହିତ ବିଦ୍ୟୁତ କାଟ ପୁର୍ବରୁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ଜନସ୍ୱାସ୍ଥ୍ୟ ବିଭାଗ ସହିତ ସମନ୍ୱୟ ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ ଓ ବିଦ୍ୟୁତ କାଟ କରିବାର ଯଥେଷ୍ଟ ପୂର୍ଵରୁ ଏହାର ସୂଚନା ସର୍ବସାଧାରଣଙ୍କୁ ଅବଗତ କରାଇବାକୁ ନିର୍ଦେଶ ଦେଇଥିଲେ। ଆଜି ସଭାରେ ଉପସ୍ଥିତ ଖୋର୍ଦ୍ଧା ବିଦ୍ୟୁତ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଚନ୍ଦ୍ରଭାନୁ ମହାନ୍ତି ନିଜର ବକ୍ତବ୍ୟ ରଖି କହିଥିଲେ ଯେ ଉନ୍ନୟନ ମୂଳକ ପ୍ରକଳ୍ପମାନଙ୍କୁ ଠିକ ସମୟରେ ବିଦ୍ୟୁତ ସଂଯୋଗ ଦେବା ସହ ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରିବେ। ଆଜିର ଏହି ସଭାରେ ବିଦ୍ୟୁତ ବିଭାଗ ଟି.ପି.ସି.ଓ.ଡି.ଏଲ ର ବାଙ୍କୀ ଏସ.ଡି.ଓ ସୌମ୍ୟ ରଞ୍ଜନ ମହାପାତ୍ର, ବେଗୁନିଆ ଏସ.ଡି.ଓ ଗୌରାଙ୍ଗ ମଣ୍ଡଳଙ୍କ ସମେତ ସମସ୍ତ ଯନ୍ତ୍ରୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାଳି ଚରଣ ତ୍ରିପାଠୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କ ସମେତ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାସ ପାଢ଼ୀ, ଏନ.ଏ.ସି ଉପ ନଗରପାଳ ସନ୍ତୋଷ ରଣା, ସନାତନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଉପଜିଲ୍ଲାପାଳ ଶ୍ରୀମତୀ ମୋନୋସ୍ୱିନୀ ଦାସ ବୈଠକ ପରିଚାଳନା କରିବା ସହ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.

three × 2 =