ଲୁମେକ୍ସ ଠକେଇରେ ପୁଲିସର ନିଷ୍କ୍ରିୟତା ନେଇ ପ୍ରଶ୍ନବାଚୀ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଲୁମେକ୍ସ ଓ ବ୍ରାଇଟ୍ ହୋମ୍ସ ଡେକର ସଂସ୍ଥା ନାଁରେ ଠକେଇର ଅନ୍ୟତମ କାର୍ପଟଦାର ସୋନିଆ ତ୍ରିପାଠୀଙ୍କୁ ଧରିପାରୁନି ପୁଲିସ । ଅଭିଯୁକ୍ତ ସୋନିଆଙ୍କ ବିରୁଦ୍ଧରେ କମିଶନରେଟ ପୁଲିସ ଓ କ୍ରାଇମବ୍ରାଞ୍ଚ ପାଖରେ ଯଥେଷ୍ଟ ପ୍ରମାଣ ଥିଲେ ବି ଜାମିନବିହୀନ ଗିରଫ ପରୱାନାକୁ କାର୍ଯ୍ୟକାରୀ ନ କରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଏତଲା ହେଲାଣି ୩୦ ମାସ ହେଲା । ଦୁଇ ଦୁଇଟି ଆଗୁଆ ଜାମିନ ଆବେଦନ ବି ଖାରଜ ହୋଇସାରିଲାଣି । ତିନି ତିନୋଟି ଜାମିନ ବିହୀନ ଗିରଫ ପରୱାନା । କ୍ରାଇମବ୍ରାଞ୍ଚ ଓ କମିଶନରେଟ ପୁଲିସର ତିନୋଟି ଚାର୍ଜସିଟରେ ବି ଠକେଇ କରିବାର ଯଥେଷ୍ଟ ପ୍ରମାଣ ଉଲ୍ଲେଖ ରହିଛି । ଏ ସବୁ ସତ୍ୱେ ଧରାପଡ଼ୁନାହାନ୍ତି ବହୁ ଚର୍ଚ୍ଚିତ ଲୁମେକ୍ସ ଓ ବ୍ରାଇଟ ହୋମ୍ସ ଡେକର ସଂସ୍ଥାର ମୁଖ୍ୟ କାର୍ପଟଦାର ରାଜୀବ ଦାସଙ୍କ ପତ୍ନୀ ସୋନିଆ ତ୍ରିପାଠୀ । ଯେମିତି ରାଜୀବଙ୍କୁ ବାନ୍ଧିବାକୁ ନାନା ଫନ୍ଦି କାଢ଼ୁଥିଲା କମିଶନରେଟ ପୁଲିସ । ଏବେ ସମାନ ଫନ୍ଦି କାଢ଼ିଲାଣି ମିଳିତ ଭାବେ କମିଶନରେଟ ପୁଲିସ ଓ ଇଓଡବ୍ଲୁ । ବିଧାନସଭାରେ ଏ ଠକେଇ ପ୍ରସଙ୍ଗ ଉଠନ୍ତାନି କି ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିନଥାଆନ୍ତେ । କି ରାଜୀବ ବି ବନ୍ଧା ହୋଇନଥାଆନ୍ତେ । ୧୭ ମାସ ହେଲା ରାଜୀବଙ୍କ ପତ୍ତା ପାଉନଥିବା କମିଶନରେଟ ପୁଲିସର ପାରିଲାପଣିଆକୁ ସେତେବେଳେ ଆହ୍ୱାନ ଦେଇଥିଲା ମାସକ ଭିତରେ ରାଜୀବଙ୍କୁ ବାନ୍ଧି ଜେଲରେ ଠୁଙ୍କିଥିବା ଇଓଡବ୍ଲୁ । ହେଲେ ନ୍ୟାୟ ଅପେକ୍ଷାରେ ଥିବା ଅଭିଯୋଗକାରିଣୀଙ୍କ ନଜରରେଏବେ ଇଓଡବ୍ଲୁ ବି ସନ୍ଦେହରେ । ସମସ୍ତ ଠକେଇରେ ସମାନ ଅଂଶୀଦାର ଥିବା ସହ ଆକାଉଣ୍ଟକୁ କୋଟି କୋଟି ଟଙ୍କାର ଟ୍ରାଞ୍ଜାକ୍ସନ ପ୍ରମାଣ ଦେଉଛି, କିଙ୍ଗପିନ୍ ହିଁ ଥିଲେ ସୋନିଆ । ପୁଞ୍ଜିନିବେଶ ଆଳରେ କୋଟି କୋଟି ଟଙ୍କାର ଚୂନ ଲଗାଇଥିବା ସୋନିଆଙ୍କୁ ପୁଲିସ ପାଉନି ନା ପାଉନଥିବାର ଆଳ ନେଉଛି । ଅଦାଲତଙ୍କ ନିର୍ଦେଶକୁ ଅବମାନନା କରିବାକୁ ସାହାସ ପାଉଛି କେଉଁଠୁ ପୁଲିସ । ଖୋଲା ବୁଲୁଛନ୍ତି ଅଭିଯୁକ୍ତ । ସୋସିଆଲ ମିଡ଼ିଆରେ ବି ସକ୍ରିୟ ଥିବା ଅଭିଯୋଗକାରୀ ଦାବି କରୁଛନ୍ତି । ତା ହେଲେ ଅତ୍ୟାଧୁନିକ ଜ୍ଞାନକୌଶଳକୁ ଆୟୁଧ କରି ପୁଲିସ କଅଣ ସୋନିଆଙ୍କ ପାଖରେ ପହଞ୍ଚିପାରନ୍ତାନି ବୋଲି ଚାରଆଡୁ ସନ୍ଦେହର ବାଦଲ ଘୋଟିବାରେ ଲାଗିଛି । ଆଉ ତାକୁ ତାଳ ଦେଇ ନ୍ୟାୟ ଅପେକ୍ଷାରେ ଥିବା ଅଭିଯୋଗକାରୀ ଆଉ କେତେଦିନ ଏମିତି ନ୍ୟାୟ ଲାଗି ଦହଗଞ୍ଜ ହେବେ, ତାହା ହିଁ ବିଡ଼ମ୍ୱନା । କେବଳ ରାଜୀବଙ୍କୁ ବାନ୍ଧିଦେଇ ପୁଲିସ ତା କାମ ସାରିଦେଇଛି । କିନ୍ତୁ ଏହି ଠକେଇ ମାମଲାରେ ଅନ୍ୟ ଅଭିଯୁକ୍ତ ସୋନିଆ ତ୍ରିପାଠୀ, ହିଂମାଶୁ ପାଣିଗ୍ରାହୀ, ବିମଳ ପାଢ଼ୀ, ଉଷାରାଣୀ ପାଣିଗ୍ରାହୀ କୁଆଡେ଼ ଗଲେ । ଏମାନଙ୍କୁ ଦୁଇ ସପ୍ତାହ ଭିତରେ ଗିରଫ କରିବାକୁ କୋର୍ଟଙ୍କ ନିର୍ଦେଶ ଥିଲେ ସୁଦ୍ଧା, ୫ ମାସ ବିତିଗଲା । ପୁଲିସ ହାତ ଖାଲି । ବେଫିକର ଅଭିଯୁକ୍ତ । ଏନବିଡବ୍ଲୁ ଜାରି ହୋଇଥିବା ଅଭିଯୁକ୍ତଙ୍କୁ ବାନ୍ଧିବାକୁ ନିର୍ବାଚନ କମିଶନ ବି ନିର୍ଦେଶ ଦେଇଛନ୍ତି । ହେଲେ ପୁଲିସର ଶୀଥିଳତା ଏ କ୍ଷେତ୍ରରେ ଅନେକ ପ୍ରଶ୍ନବାଚୀ ଛିଡ଼ା କରିଛି । ଏହିମାମଲାରେ ପୋଲିସର ଅପାରଗତା ଓ ଅପରାଧୀଙ୍କୁ ଘଣ୍ଟ ଘୋଡାଇବା ବିରୋଧରେ ବିଧାନସଭାରେ ବାରମ୍ୱାର ଝଡ଼ ଉଠିଥିଲା ।ବିଭିନ୍ନ କମ୍ପାନୀର ଜାଲି ଦସ୍ତାବିଜ ବଳରେ ପ୍ରାୟ ୧୭ କୋଟି ଟଙ୍କା ଠକିନେଇ ଲୁମେକ୍ସ ଏବଂ ବ୍ରାଇଟ ହୋମ୍ସର ଏହି ଠକ ଦମ୍ପତି ନିଜ ଖାତାକୁ ସମସ୍ତ ଟଙ୍କା ହଡ଼ପ କରି ନେଇଥିଲେ । ଆଉ କମ୍ପାନୀର ଅନ୍ୟତମ ନିର୍ଦେଶକଙ୍କ ଭିତରେ ଭାଗ ବଣ୍ଟୁଆରା କରି ଚଳୁ କରିଦେଲେ । ଇଓଡବ୍ଲୁ ବି ଗଲା ବର୍ଷକ ଭିତରେ ଅପରାଧୀଙ୍କର ଖାତାକୁ ଅଚଳ କରିବାରେ ଅସମର୍ଥ ହୋଇଛି ।

Leave A Reply

Your email address will not be published.

5 × 2 =