ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା ଥାଇ ମଧ୍ୟ ଜଳକଷ୍ଟ ଭୋଗୁଛନ୍ତି ଉତ୍ତରସେଲୀ ଗ୍ରାମବାସୀ

ଗୋଷାଣି : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ବଡଗୋଷାଣି ପଞ୍ଚାୟତ ଅନ୍ତର୍ଗତ ଉତ୍ତରସେଲୀ ଗ୍ରାମରେ ପାନୀୟ ଜଳ ପାଇଁ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା ହୋଇଛି । ହେଲେ ବିଭାଗୀୟ ଅଣ ଦେଖା ଯୋଗୁଁ ଆଜି ବି ଜଳକଷ୍ଟ ଭୋଗୁଛନ୍ତି ଗ୍ରାମବାସୀ । ଖରା ହେଉକି ବର୍ଷା କି ଶୀତ ଦିନ ବର୍ଷ ତମାମ ପାନୀୟ ଜଳ ପାଇଁ ଡହଳବିକଳ ହେଉଛନ୍ତି ଗ୍ରାମବାସୀ । ଗ୍ରାମର 80 ଘର ରହିଥିବା ବେଳେ ଜନସଂଖ୍ୟା ରହିଛି ପାଞ୍ଚ ଶହରୁ ଉର୍ଦ୍ଧ । ପାନୀୟ ଜଳ ବ୍ୟବସ୍ଥା ପାଇଁ ଗତ ଦଶ ବର୍ଷ ହେଲା ପାଇପ ବିଛାଯାଇ ଘରକୁ ଘର ଦିଆଯାଇଛି ଟ୍ୟାପ । ଏହା ସହ ଗ୍ରାମରେ ତିନି ଗୋଟି ନଳକୂପ ରହିଛି । ହେଲେ ପାନୀୟ ଜଳ ପ୍ରକଳ୍ପ କାମରେ ଆସୁ ନାହିଁ । ନଳକୂପ ଗୁଡିକ ମଧ୍ୟରୁ ଗୋଟିଏ ଅଚଳ ହୋଇପଡିଥିବା ବେଳେ ଅନ୍ୟ ଦୁଇ ଗୋଟିରେ ପାଣି ଆସୁଥିଲେ ମଧ୍ୟ ପିଇବାପାଇଁ ଅନୁପଯୁକ୍ତ ଅଟେ । ଗ୍ରାମବାସୀଙ୍କ କହିବା ପ୍ରକାରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଦ୍ୱାରା ଗ୍ରାମର ସମସ୍ତ ଘରକୁ ଘର ପାଇପ ଯୋଗେ ପିଇବା ପାଣି ବ୍ୟବସ୍ଥା ହୋଇଛି । ଏହାର ଟାଙ୍କି ତଥା ମୋଟର ଦୁଇ କିମି ଦୂରରେ ଥିବା ଜଙ୍ଗଲପାଡୁ ଗ୍ରାମରେ ରହିଛି । ଉଭୟ ଟାଙ୍କି ଓ ମୋଟର ଦୁଇ କିମି ଦୂରତା ରହିଥିବା ଏବଂ ଉତ୍ତରସେଲୀ ଗ୍ରାମ ଉଚ୍ଚତାରେ ରହିଥିବା ଯୋଗୁଁ ପାଣି ପହଞ୍ଚି ପାରୁନଥିବାର ପ୍ରକାଶ କରିଛନ୍ତି । ପିଇବା ପାଣି ପାଇଁ ଆମ୍ଭେ ଦଶ ବର୍ଷ ପୂର୍ବେ ଯେଉଁ ସମସ୍ୟା ଭୋଗି ଆସୁଛୁ ସେହି ଅବସ୍ଥାରେ ରହିଛୁ । ପାନୀୟ ଜଳ ପାଇଁ ବିଭାଗ ସମସ୍ତ ବନ୍ଦୋବସ୍ତ କରି ଦେଇ ଆଖି ବୁଜିଦେଇଥିବାର ପ୍ରକାଶ କରିଛନ୍ତି । ରକ୍ଷଣାବେକ୍ଷଣ କିମ୍ବା ଆବଶ୍ୟକ ମରାମତି ନ କରି ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ପଡିଥିବାର କହିଛନ୍ତି । ଏନେଇ ବାରମ୍ବାର ବିଭାଗୀୟ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନି । ତେବେ ଗ୍ରାମରେ ଜଳକଷ୍ଟକୁ ଲକ୍ଷ୍ୟ କରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ) ପକ୍ଷରୁ ୩ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ ମୋଟର ଓ ପାଣିଟାଙ୍କି ୨୦୨୦-୨୧ରେ ସ୍ଥାପନ କରାଯାଇଥିଲା । ଏହି ଜଳ ପ୍ରକଳ୍ପ ମାତ୍ର ସାତ ଦିନ ଧରି ସେତେବେଳେ ଚାଲିଥିଲା । କାର୍ଯ୍ୟକ୍ଷମ ହେବାର ସାତ ଦିନ ପରେ ଅଚଳ ହୋଇପଡିଛି । ମୋଟରଟି ଭୂତଳ ମଧ୍ୟକୁ ଖସିପଡିଥିବା କଥା କହି ବିଭାଗ ଚୂପଚାପ ରହିଯାଇଥିବାର କହିଛନ୍ତି ।   ମାତ୍ର ତିନି କିମି ଦୂରରେ ବ୍ଲକ ସଦର ମହକୁମା ରହିଛି । ବ୍ଲକ ପ୍ରଶାସନଙ୍କୁ ମଧ୍ୟ ଜଳକଷ୍ଟକୁ ନେଇ ଗୁହାରି କରିଛୁ । ଅଭିଯୋଗ କରି ନୟାନ୍ତ ହେଲୁଣି । କେହି ଆମ୍ଭ ଦୁଃଖ ଦୁର୍ଦଶା ବୁଝୁନାହାନ୍ତି ବୋଲି କ୍ଷୋଭର ସହ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଗ୍ରାମରେ ଦୁଇ ଗୋଟି କୂପ ରହିଥିଲେ ମଧ୍ୟ ଗୋଟିଏରେ ବ୍ୟବହାର ଉପଯୋଗି ନୁହଁ । ବ୍ୟବହାର ଯୁକ୍ତ ପାଣି ବା ପିଇବା ପାଇଁ ପାଣି ଆଣିବାକୁ ହେଲେ ଜଙ୍ଗଲ ତଥା ପାହାଡ ନିକଟରେ ଏକ କୂପରୁ ପାଣି ଆଣିବାକୁ ପଡୁଛି ବୋଲି କହିଛନ୍ତି ମହିଳା ମାନେ ।  ଯାହାକି ବିପଦପୂର୍ଣ୍ଣ । ପାଣିର ଆବଶ୍ୟକ ହେଲେ ଏହି କୂପ ଉପରେ ଭରସା । ବିଶେଷ କରି ରାତ୍ର ସମୟରେ ପାଣି ଆଣିବାକୁ ହେଲେ ଭୟଭିତ ଅବସ୍ଥାରେ ପାଣି ଆଣୁଥିବାର କହିଛନ୍ତି । ଏହା ସହ ଏହି କୂପ ପାଣି ଭଲ ହେଉ କି ଖରାପ ବାଧ୍ୟ ହୋଇ ପିଉଛୁ ଏବଂ ବ୍ୟବହାର କରୁଥିବାର ଜଣାଇଛନ୍ତି । ଏହି କୂପର ପାଣି ପିଇବା ବ୍ୟବହାର କରି ଗ୍ରାମବାସୀ ବେଳେ ବେଳେ ବିଭିନ୍ନ ସମୟରେ ବିଭିନ୍ନ ସଂକ୍ରମଣର ଶିକାର ହେଉଥିବାର ମଧ୍ୟ ଜଣାଇଛନ୍ତି । ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରନ୍ତୁ ବୋଲି ନିବେଦନ କରିଛନ୍ତି । ନଚେତ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

15 − 7 =