ମାଲକାନଗିରି ନୂତନ ବିମାନ ବନ୍ଦର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

୪ହଜାର କୋଟି ବ୍ୟୟରେ ସମନ୍ଵିତ ଜଳସେଚନ ପ୍ରକଳ୍ପ  ପ୍ରସ୍ତାବକୁ ଅନୁମୋଦନ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ନୂତନ ବିମାନ ବନ୍ଦର ଉଦ୍ଘାଟନ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ୱତନ୍ତ୍ର ବିମାନ ଯୋଗେ ମାଲକାନଗିରି ବିମାନ ବନ୍ଦରଠାରେ ପହଞ୍ଚି ନିଜ କର କମଳରେ ଲୋକାର୍ପଣ କରିଛନ୍ତି। ଯେଉଁଥି ପାଇଁ ରୂପାନ୍ତର  ଯାତ୍ରାରେ  ଆଉ ଏକ ପାଦ ଆଗେଇଛି ମାଲକାନଗିରି ଜିଲ୍ଲା। ଆକାଶ ପଥରେ ଯୋଡି ହେବା ସହିତ ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୁରଣ ହୋଇଛି। ଆକାଶପଥ ମାନଚିତ୍ରରେ  ସ୍ଥାନିତ ହୋଇଛି ମାଲକାନଗିରି ଜିଲ୍ଲା। ଏହା ଦ୍ୱାରା ମାଲକାନଗିରି ଓ ଆଖପାଖ ଅଞ୍ଚଳରେ ଯୋଗାଯୋଗ, ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଘଟିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ କୋରାପୁଟର ଜୟପୁର, କଳାହାଣ୍ଡିର ଉତ୍‌କେଲା, ରାଉରକେଲା, ଗଞ୍ଜାମର ରଙ୍ଗେଇଲୁଣ୍ଡାରେ ବିମାନବନ୍ଦର ସ୍ଥାପନ କରାଯାଇଛି। ଏହା ପରେ ଆଜି ମାଲକାନଗିରିକୁ ମଧ୍ୟ ଆକାଶପଥରେ ସଂଯୋଗ କରାଯିବାପରେ ସାରା ରାଜ୍ୟର ଦୂରବର୍ତ୍ତୀ ଅଞ୍ଚଳଗୁଡିକରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ। ଓଡିଶାରେ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ଏହା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ମାଲକାନଗିରି ବିମାନ ବନ୍ଦର ୨୩୩ ଏକର ଅଞ୍ଚଳରେ ପରିବ୍ୟାପ୍ତ ଏବଂ ଏଥିରେ ୧୬୨୦ ମିଟର ଦୀର୍ଘ୍ୟ ଓ ୩୦ ମିଟର ପ୍ରସ୍ଥ ବିଶିଷ୍ଟ ଏକ ରନୱେ ନିର୍ମାଣ କରାଯାଇଛି। ଏଥିପାଇଁ ୭୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଉଦ୍‌ଘାଟନ ସମୟରେ ମୁଖମନ୍ତ୍ରୀଙ୍କ ସହିତ5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ। ଆଜି ମାଲକାନଗିରି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ଗୋବିନ୍ଦପାଲି ସମନ୍ଵିତ ଜଳସେଚନ ପ୍ରକଳ୍ପ  ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏଥିପାଇଁ ୪୦୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ସୂଚନାଯୋଗ୍ୟ ଯେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି  କାର୍ତ୍ତିକ ପାଣ୍ଡିଆନ ଗତ ମାର୍ଚ୍ଚ ୨୮ ତାରିଖରେ ମାଲକାନଗିରି ଜିଲ୍ଲା ଗସ୍ତ କରି  ସ୍ଥାନୀୟ ଜନସାଧାରଣଙ୍କ ସହିତ  ସପ୍ତଧାରା ନଦୀରେ ଏକ ଜଳସେଚନ ପ୍ରକଳ୍ପ ନିର୍ମାଣ କରିବା ସମ୍ପର୍କରେ ଆଲୋଚନା କରିଥିଲେ । ଲୋକଙ୍କ ପ୍ରସ୍ତାବକୁ ଗୁରୁତ୍ୱ ଦେଇ ପ୍ରାୟ 4000 କୋଟି ଟଙ୍କା ବ୍ୟୟ ଅଟକଳରେ ଗୋବିନ୍ଦପାଲି ସମନ୍ଵିତ ଜଳସେଚନ ପ୍ରକଳ୍ପର ଡ଼ିପିଆର ପ୍ରସ୍ତୁତ କରାଯାଇ ବୈଷୟିକ ପରାମର୍ଶଦାତା କମିଟିର ଅନୁମୋଦନ ନିମନ୍ତେ କେନ୍ଦ୍ରୀୟ ଜଳ ଆୟୋଗକୁ ପ୍ରେରଣ କରାଯାଇଅଛି । ଏହି ପ୍ରକଳ୍ପ ଅଧୀନରେ ସପ୍ତଧାରା ଓ ଗରିଆଠାରେ ଦୁଇଗୋଟି ଡ୍ୟାମ, ଏକ ସଂଯୋଗୀକରଣ ଟନେଲ ଓ ଭୂତଳ ପାଇପଲାଇନ ଦ୍ଵାରା ଜଳସେଚନର ବ୍ୟବସ୍ଥା ରହିଛି। ଏହି ପ୍ରକଳ୍ପ ଦ୍ୱାରା ମାଲକାନଗିରି ଜିଲ୍ଲାର ଚାରିଗୋଟି ବ୍ଲକ ଯଥା – ମାଲକାନଗିରି, ମାଥିଲି, ଖଇରିପୁଟ ଓ କୋରକୁଣ୍ଡାରେ ଅତିରିକ୍ତ ୯୨,୮୧୫ ଏକର ଚାଷ ଜମିରେ ଜଳସେଚନର ସୁବିଧା ସୃଷ୍ଟି କରାଯିବା ସହିତ ୧.୫୦ ଲକ୍ଷ ସ୍ଥାନୀୟ ଜନସାଧାରଣଙ୍କୁ ପାନୀୟଜଳ ଯୋଗାଣ କରାଯାଇପାରିବ। ତେବେ ଆସନ୍ତା ଜୁଲାଇ ମାସ ସୁଦ୍ଧା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଅଛି।

Leave A Reply

Your email address will not be published.

11 + eighteen =